ନଅ ଦଫା ଦାବିରେ ଓ ଶୋଷଣ ଓ ନିର୍ଯ୍ୟାତନା ବିରୁଦ୍ଧରେ ରାଜ୍ୟ ସ୍ତରୀୟ ପ୍ରତିବାଦ ବିକ୍ଷୋଭ

Sarabaharakranti/Bhubaneswar Dt.21.10.2021 – ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ AIUTUC ସହବନ୍ଧିତ “ଅଲ ଓଡ଼ିଶା ଭାରତୀ ଇନ୍ଫ୍ରାଟେଲ କନ୍ତ୍ରାକ୍ଟୁଆଲ ଟେକ୍ନିସିଆନ୍ସ ୟୁନିଅନ୍ ( AOBICTU )” ର ସମସ୍ତ ଟେକ୍ନିସିଆନ ମାନଙ୍କ ଉପରେ କରାଯାଉଥିବା ଶୋଷଣ ଓ ମାନସିକ ନିର୍ଯ୍ୟାତନା ବିରୁଦ୍ଧରେ ଏବଂ ୯ ଦଫା ଦାବି ପୂରଣ ନିମନ୍ତେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଥିବା ଓଡ଼ିଶା ସାରକଲ୍ ମୁଖ୍ୟଦପ୍ତର ସମ୍ମୁଖରେ ରାଜ୍ୟ ସ୍ତରୀୟ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିବାଦ ବିକ୍ଷୋଭରେ ସଂଗଠନର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି
ପ୍ରଦେଶ କୁମାର ନାୟକ, ଉପ ସଭାପତି ଅଶୋକ କୁମାର ସାହୁ, ଉପସଭାପତି ଜ୍ଞାନରଞ୍ଜନ ବେଉରା, ସାଧାରଣ ସମ୍ପାଦକ ଵୁଗୁରୁ ତ୍ରିନାଥ, ସମ୍ପାଦକ ମନୋଜ କୁମାର ସାହୁ, ଅର୍ଥ ପରିଚାଳକ ନିଳେନ୍ଦ୍ର କାନ୍ତି ଆଚାର୍ଯ୍ୟ ଏବଂ ଓଡ଼ିଶା ରାଜ୍ୟରେ ନିୟୋଜିତ କମ୍ପାନୀର ଶହ ଶହ କର୍ମଚରୀମାନେ ଯୋଗ ଦେଇଥିଲେ । ଏହି ପ୍ରତିବାଦ ସଭାରେ ଏ ଆଇ ୟୁ ଟି ୟୁ ସି ଓଡିଶା ରାଜ୍ୟ କମିଟି ସଂପାଦକ ଜୟସେନ ମେହେର ଉଦବୋଧନ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୮ ମସିହାରୁ ପ୍ରମୁଖ ସଂସ୍ଥା ଭାରତୀ ଇନ୍ଫ୍ରାଟେଲ ଲିମିଟେଡ ଭାରତୀ ଏୟାରଟେଲ ର ଏକ ଅଂଶୀଦାର ମୋବାଇଲ ନେଟୱର୍କ ସଂସ୍ଥା ଭାବେ ନିଜର ସେବା ପ୍ରଦାନ କରି ଆସୁଛି, ଯାହା ବର୍ତ୍ତମାନ ଇଣ୍ଡସ ଟାୱର୍ସ ଲିମିଟେଡ ନାମରେ ପରିଚିତ । ଏହି କଂପାନୀ ଏୟାରଟେଲ ନେଟ ୱର୍କ୍ ସେବା ପ୍ରଦାନ କରିବା ସହିତ, ରିଲାଆୟାନ୍ସ ଜିଓ, ଭୋଡାଫୋନ ଆଇଡିଆ ଓ ବି‌ ଏସ ଏନ ଏଲ୍ ପାଇଁ ନେଟୱର୍କ ସେବା ମଧ୍ୟ ପ୍ରଦାନ କରି ଆସୁଛି, ଯାହା ଅତି ଜରୁରୀ କାଳୀନ ସେବା ଭାବରେ ପରିଗଣିତ । ଏହି ଭଳି ସେବାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ବଦଳରେ, ନିଜର ନେଟୱର୍କ ଯୋଗାଉଥିବା ମୋବାଇଲ ଟାୱାର ଗୁଡ଼ିକର ଯାନ୍ତ୍ରିକ କାର୍ଯ୍ୟ ତୁଲାଇବା ପାଇଁ ଓଡ଼ିଶାର ୪୦୦ ରୁ ଉର୍ଦ୍ଧ୍ବ ଟେକନିସିଆନଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରିଛି, ଯେଉଁ ମାନେ କି ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଉଚ୍ଚ ବୈଷୟିକ ଶିକ୍ଷା ଲାଭ କରିଛନ୍ତି ଏବଂ ବିନା ସ୍ଵୀକୃତି ରେ ଅତି କୁଶଳୀ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ଟେକନିସିଆନ ମାନେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ପାଇଁ ଦିନ ରାତି, ଖରା ବର୍ଷା, ଶୀତ କାକର ଏମିତିକି ପ୍ରାକୃତିକ ବିପର୍ଯ୍ୟୟକୁ ଖାତିର ନ କରି ୨୪ ଘଣ୍ଟା କାମରେ ଲାଗିଥାନ୍ତି । ଯେତେ ବେଳେ ଅନ୍ୟାନ୍ୟ ଶ୍ରମିକ କର୍ମଚାରୀ ମାନଙ୍କର ନିର୍ଦ୍ଧିଷ୍ଟ କର୍ମ ନିର୍ଘଣ୍ଟ ବା ସରକାରୀ ଛୁଟିର ବ୍ୟବସ୍ଥା ରହିଛି, ସେତେ ବେଳେ ଟେକନିସିଆନ ମାନଙ୍କ ପାଇଁ ଏହା ଦିବା ସ୍ୱପ୍ନ। ଏମିତିକି ଟେକନିସିଆନ ମାନଙ୍କ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ଓଡିଶା ରାଜ୍ୟ ସରକାରଙ୍କ ସମସ୍ତ ଶ୍ରମ କଲ୍ୟାଣ ଯୋଜନାରୁ ବଞ୍ଚିତ କରାଯାଇଛି। ନିଜ ନିଜ ପରିବାରର ସୁବିଧା ଅସୁବିଧା ବୁଝିବା ପାଇଁ ମଧ୍ଯ ଅସମର୍ଥ ହୋଇପଡୁଛନ୍ତି । ବସ୍ତୁତ ୨୪ ଘଣ୍ଟାର ବନ୍ଧ। ଜୀବନ ବା ଗୋତି ଶ୍ରମିକର ଜୀବନ ବିତାଉଛନ୍ତି ।କୌଣସି ପ୍ରକାରେ ନିଜର ଜୀବନକୁ ବଞ୍ଚାଇବା ସହିତ ନିଜ ପରିବାରର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଏହି ଟେକନିସିଆନ ମାନେ ସମସ୍ତ ଅସୁବିଧା ସତ୍ତ୍ୱେ ଏହି କାମ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାର ଫଳସ୍ୱରୁପ କମ୍ପାନୀର ଅଫିସର ମାନେ ଏମାନଙ୍କ ସହିତ ମନ ଇଚ୍ଛା ଦୁର୍ବ୍ୟବହାର କରିବା ପାଇଁ ସାମାନ୍ୟତମ କୁଣ୍ଠାବୋଧ କରୁ ନାହାନ୍ତି । ଏପରିକି ଶ୍ରମିକମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ନ ଦେବା, ଶ୍ରମ ଆଇନ କୁ ସମ୍ପୂର୍ଣ ବେଖାତିର କରିବା, ମନମୁଖୀ କାର୍ଯ୍ୟ କରାଇବା ସହିତ ମାନସିକ ଯନ୍ତ୍ରଣା ଦେବା, ଉଦ୍ଦେଶ୍ୟମୂଳକ ଭାବରେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହିତ ଚାକିରିରୁ ବାହାର କରି ଦେବା ପାଇଁ ଧମକ ଦେବା, ସୁରକ୍ଷା ଉପକରଣ ନ ଯୋଗାଇ ପ୍ରାକୃତିକ ବିପର୍ଯ୍ୟୟ ବା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରାତ୍ରି ସମୟରେ କାମ କରିବାକୁ ବାଧ୍ୟ କରିବା, କାର୍ଯ୍ୟରତ ସମୟରେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ନ କରିବା ଏବଂ ସର୍ବୋପରି ବଜାର ଦର ସହିତ ସଂଗତି ନ ରଖି କେତେ ଅଧିକ କାମ ଅଳ୍ପ ପାରିଶ୍ରମିକ ଦେଇ କରାଇନେବା ଭଳି ଅତି ଅମାନବୀୟ କାର୍ଯ୍ୟ କରିବା ପାଇଁ ସମାନ୍ୟତମ ଲଜ୍ୟାବୋଧ କରୁ ନାହାନ୍ତି ।
ଏହି ଭଳି ଏକ ପରିସ୍ଥିତିରେ ବହୁବିଧ ସମସ୍ୟା ଥିବା ସତ୍ତ୍ବେ ୟୁନିଅନ ପକ୍ଷରୁ ସର୍ବନିମ୍ନ ୯ ଗୋଟି ଦାବି କରାଯାଇଛି, ଯଥା :-
(୧) I MAPP କାର୍ଯ୍ୟ କରିବା ପାଇଁ କମ୍ପାନୀ ପକ୍ଷରୁ ସ୍ମାର୍ଟ ଫୋନ ଯୋଗାଇ ଦେବା, (୨) ବରିଷ୍ଠତା ଏବଂ କନିଷ୍ଠତା ଆଧାରରେ ଉପଯୁକ୍ତ ବିଚାର କରି ଦରମା ନିର୍ଦ୍ଧାରଣ କରିବା,। (୩) ବର୍ତ୍ତମାନର ବଜାର ମୂଲ୍ୟ ଭିତ୍ତିରେ ମଜୁରୀ ପ୍ରଦାନ କରିବା, (୪) ବଜାରର ପେଟ୍ରୋଲ ମୂଲ୍ୟ ଭିତ୍ତିରେ ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା, (୫) ପାହାଡି ଅଞ୍ଚଳରେ କାର୍ଯ୍ୟରତ ଟେକ୍ନୀସିଆନ ମାନଙ୍କୁ ସ୍ଵତନ୍ତ୍ର ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା, (୬) ପ୍ରାକୃତିକ ବିପର୍ଯ୍ୟୟ ବା ରାତ୍ରୀ କାଳରେ ଅତିରିକ୍ତ କାର୍ଯ୍ୟ ପାଇଁ ଅଧିକ ପାରିଶ୍ରମିକ ପ୍ରଦାନ କରିବା, (୭) କମ୍ପାନୀ କାମରେ ବ୍ୟବହୃତ ବ୍ୟକ୍ତି ଗତ ଗାଡ଼ିର ମରାମତି ଖର୍ଚ୍ଚ ପ୍ରଦାନ କରିବା, (୮) କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ଏବଂ (୯) ସମସ୍ତ ଟେକ୍ନୀସିଆନ୍ ମାନଙ୍କୁ ଅତିକୁଶଳି ଶ୍ରମିକର ମାନ୍ୟତା ସହ ପାରିଶ୍ରମିକ ପ୍ରଦାନ କରିବା ।
ଏହି ସମ୍ବନ୍ଧରେ କମ୍ପାନୀ କତୃପକ୍ଷଙ୍କୁ ଗତ ଅଗଷ୍ଟ ମାସ ୧୯ ତାରିଖରେ ଏକ ଦାବି ପତ୍ର ମାଧ୍ୟମରେ ଅନୁରୋଧ କରିବା ପରେ ସେମାନେ ସମସ୍ତ ଦାବିକୁ ପୂରଣ କରିବା ପ୍ରତିବଦଳରେ ଟେକ୍ନୀସିଆନ୍ ମାନଙ୍କ ସହିତ କମ୍ପାନୀର କୌଣସି ସମ୍ପର୍କ ନାହିଁ ବୋଲି ସିଧା ସଳଖ ମନା କରିଛନ୍ତି । ଆଗାମୀ ଦିନରେ କମ୍ପାନୀ କର୍ତ୍ତୃପକ୍ଷ ଯଦି ଦାବି ପୂରଣ ନ କରି ଏଭଳି ଆଚରଣକୁ ବଜାଇ ରଖନ୍ତି, ତାହାହେଲେ ଟେକନିସିଆନମାନେ ସମଗ୍ର ଓଡ଼ିଶାର ସମସ୍ତ ମୋବାଇଲ୍ ନେଟୱର୍କ ସେବାକୁ ବନ୍ଦ କରିବା ପାଇଁ ପଛଘୁଞ୍ଚା ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *